ମନ୍ଥର ତଟିନୀ କିଏସେ ନାୟିକା
କା ଅଙ୍କେ ଶୋଇଛି ମୁଣ୍ଡ ଲୁଚାଇ
ସୁନେଲି ଆଭା ରେ ଦିଶୁଛି ତା ମୁହଁ
ତନୁ କୁ ତା'ର ଦେଇଛି ଘୋଡ଼ାଇ।।୧।।
ଝାପ୍ସା ଅନ୍ଧାର ରେ ଦିଶୁଛି ତା ଦେହ
ନାଭି ମଣ୍ଡଳ ତା ସ୍ୱଛ ଦିଶଇ
ଚାରୁ ନିତମ୍ବ ତା ବାରି ହୋଇଯାଏ
ଅଭ୍ର ଆଭରଣ ଦୁରୁ ଦିଶଇ।। ୨।।
ଗଭା ର ଆଭା ତା ପଡ଼ିଛି ମୁକୁଳା
ଉରୁ ଯାଏ ତା'ର ଲମ୍ବି ଯାଇଛି
ତଳି ରୁ ତାଳୁପା ଦେଖିଲେ ନିରେଖି
ଧୀରେ ଧୀରେ ତନ୍ଦ୍ରା ମାଡ଼ି ଆସୁଛି।। ୩।।
ଜଳକା ଜଳକା ଆକାଶେ ତାରକା
ଜଳ ଜଳ ଝାପ୍ସା ଯାଉଛି ଦେଖା
ନବ ବଧୂ ବେଶେ ମନ୍ଦ ଗତିରେ ସେ
ଆସୁଛି ବଜାଇ ପାଦ ଝୁମୁକା।। ୪।।
ଝିଙ୍କାରୀ ଝଙ୍କାର ଶୁଭିଲାଣି ଝାପ୍ସା
ହୁକେ ହୁଆ ଡାକେ କୋକି ଶିଆଳି
ଗାଁ ଚୌପାଢି ରେ ମେଳି ବସିଲେଣି
ମନ୍ଦିରରେ ଶୁଭେ ଶୁଭ କାହାଳୀ।।
୫।।
ସାହୁ ଘର ବୋହୂ ପାଟ ଶାଢ଼ୀ ପିନ୍ଧି
ଜାଳିଲାଣି ଆସି ସଞ ଦୀପାଳୀ
ଦାଣ୍ଡ ଦୁଆର ରେ ଭାଗବତ ଧରି
ସାହୁ ବୁଢ଼ା ଵସି ଧରୁଛି ପାଳି।। ୬।।
ଅନ୍ଧାର ରେ ହଜି ଗଲା ସେ ନାୟିକା
ଶୂନ୍ୟ ଶୂନ୍ୟ ଚତୁର୍ଦିଗ ଦିଶଇ
ନିଶାରେ ନୁହେଁ ସେ ଉଷାରେ ଆସିବ
ରହି ଥାଅ ତା'ର ବାଟକୁ ଚାହିଁ।। ୭।।
ଦିଲ୍ଲୀପ କୁମାର ନନ୍ଦୀ
ଭବାନୀପାଟଣା, କଳାହାଣ୍ଡି,।


0 Comments